ପ୍ରେସ ବିଜ୍ଞପ୍ତି ତାରିଖ : 19 ମେ 2018
ରାଜ୍ୟ ସରକାରଙ୍କ ଦ୍ଵାରା ମାଓ ଦମନ କ୍ଷେତ୍ରରେ
ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଉଭୟ ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲା ପୁଲିସକୁ 10 ଲକ୍ଷ ଟଙ୍କା
ପୁରସ୍କାର ଘୋଷଣା ସରକାରଙ୍କ ଏକ ସ୍ଵୀକାରୋକ୍ତି ଯେ ପୁଲିସ ଆତ୍ମସୁରକ୍ଷା ନାମରେ ଗୁଳି କରି
ନାହିଁ ବରଂ ଉଭୟ ଘଟଣାରେ ସମୁଦାୟ ସାତ ଜଣ “ମାଓବାଦୀଙ୍କୁ” ହତ୍ୟା କରିଛି ଯାହାକି ଅତ୍ୟନ୍ତ
ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ । ସମ୍ବିଧାନର
ସୁରକ୍ଷା ଲାଗି ଶପଥ ନେଇଥିବା ସରକାର ନିଜେ ସମ୍ବିଧାନ ବିରୋଧୀ ଓ ନିଜେ ହତ୍ୟାକାରୀ ସାଜିବା ଏକ
ଦୁଃଖଦ ଘଟଣା ଯାହାକୁ ‘ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ’, ଓଡିଶା
ଦୃଢ ଭାବରେ ନିନ୍ଦା କରୁଛି । କୌଣସି
ବ୍ୟକ୍ତିର ପୁଲିସ ଦ୍ଵାରା ହତ୍ୟା ଯେ ଆଇନ ସମ୍ମତ ଏହା ସମ୍ବିଧାନର କୌଣସି ଧାରାରେ ଉଲ୍ଲେଖ
ନାହିଁ । ଏଥିପାଇଁ ସୁପ୍ରିମ କୋର୍ଟଙ୍କ ଦ୍ଵାରା ଦିଆଯାଇଥିବା
ନିର୍ଦ୍ଦେଶ ଓ ଜାତୀୟ ମାନବିକ ଅଧିକାର କମିଶନଙ୍କ ଦ୍ଵାରା ସ୍ଥିରୀକୃତ ନିର୍ଦ୍ଦେଶାବଳୀ ଅନୁସାରେ
ପ୍ରତ୍ୟେକ ଏନକାଉଣ୍ଟରର (ସେଥିରେ ମାଓବାଦୀ ଅଥବା କ୍ରୀମିନାଲ ବା ଉଗ୍ରପନ୍ଥୀ କେହି
ବି ମୃତ୍ୟୁବରଣ କରନ୍ତୁ ନା କାହିଁକି) ଏଫଆଇଆର (FIR) ହୋଇ
ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଦ୍ଵାରା ଏହାର ଅନୁସନ୍ଧାନ କରାଯିବ । ଏହାର ରିପୋର୍ଟ କମିଶନକୁ ପଠାଇବା ଜରୁରୀ। ଏଭଳି ନିର୍ଦ୍ଦେଶ ଦେବାର ଅର୍ଥ ହେଲା ଯେ ଆତ୍ମସୁରକ୍ଷା
ନାମରେ ପୁଲିସ ଯେପରି ହତ୍ୟା ଭଳି ଅପରାଧିକ କାର୍ଯ୍ୟରେ ଲିପ୍ତ ନହେଉ ।
ସେହି କନ୍ଧମାଳ ଜିଲ୍ଲାରେ ପୂର୍ବରୁ ମାଓବାଦୀ ନାମରେ ଗୁମୁଡୁମହା ଠାରେ ଏକ ଶିଶୁ ଓ
ଦୁଇ ମହିଳା ସମେତ ପାଞ୍ଚ ଜଣଙ୍କୁ ହତ୍ୟା କରିବା (08 ଜୁଲାଇ 2016),
ପାଙ୍ଗଳାପଦର ଠାରେ ସ୍ଵାମୀ ଓ ସ୍ତ୍ରୀଙ୍କୁ ସେହିଭଳି ଫୋନ କରି ଫେରୁଥିବା ସମୟରେ ହତ୍ୟା କରିବା
(26 ଜୁଲାଇ 2016),
କଳାହାଣ୍ଡି ଜିଲ୍ଲା ନିଶାନଗୁଡା ଠାରେ ତିନି ଜଣ ଆଦିବାସୀ ଓ ଦଳିତ ଗ୍ରାମବାସୀଙ୍କୁ ମାଓବାଦୀ
ନାମରେ ହତ୍ୟା (23 ନଭେମ୍ବର 2015) ଏପରିକି କୋରାପୁଟ ଜିଲ୍ଲା ଲମତାପୁଟ ଠାରେ ଆଦିବାସୀ
ଯୁବକ ଗଙ୍ଗା କିର୍ଶନୀଙ୍କୁ ହତ୍ୟା (29 ଅକ୍ଟୋବର 2013) ଓ ଗଜପତି ଜିଲ୍ଲା ଭାଲିଆଗୁଡା ଠାରେ
ପାଞ୍ଚ ଜଣ ଆଦିବାସୀ ଓ ଦଳିତ ଯୁବକଙ୍କୁ ହତ୍ୟା (14 ନଭେମ୍ବର 2012) ବିପକ୍ଷରେ ପରିବାର ଲୋକେ
ଏଫଆଇଆର (FIR) ଦେଇ ଥିବା ସତ୍ଵେ ଏହାର କୌଣସି ଶୁଣାଣି ହୋଇନାହିଁ କିମ୍ବା ଦୋଷୀ ଜବାନଙ୍କୁ ଦଣ୍ଡିତ
କରାଯାଇ ନାହିଁ । ତେଣୁ ସରକାରଙ୍କ ପୁରସ୍କାର ଘୋଷଣା ବରଂ ଏହିଭଳି ମିଥ୍ୟା
ଏନକାଉଣ୍ଟରର ସଂଖ୍ୟା ବଢାଇବ ଯାହାକି ଉପେକ୍ଷିତ ଜିଲ୍ଲାମାନଙ୍କରେ ଥିବା ଆଦିବାସୀ, ଦଳିତ, ମହିଳା ଓ ଚାଷୀ ବର୍ଗର ଲୋକଙ୍କ ଜୀବନ ଅଧିକରୁ ଅଧିକରୁ ଭୟଗ୍ରସ୍ତ କରାଇଦେବ ।
ଏଠାରେ ‘ଗଣତାନ୍ତ୍ରିକ
ଅଧିକାର ସୁରକ୍ଷା ସଂଗଠନ’, ଓଡିଶା ଦାବୀ କରେ କି ରାଜ୍ୟ ସରକାର ପୁଲିସକୁ ଆଇନକୁ
ହାତକୁ ନେବା ଭଳି କାର୍ଯ୍ୟରୁ କ୍ଷାନ୍ତ ରଖିବା ଜରୁରୀ । ସଂଗଠନ ଏହା ମଧ୍ୟ ଦାବୀ
କରୁଛି ଯେ ରାଜ୍ୟ ସରକାର ସୁପ୍ରିମ
କୋର୍ଟଙ୍କ ଦ୍ଵାରା ଦିଆଯାଇଥିବା ନିର୍ଦ୍ଦେଶ ଓ ଜାତୀୟ ମାନବିକ ଅଧିକାର କମିଶନଙ୍କ ଦ୍ଵାରା
ସ୍ଥିରୀକୃତ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରନ୍ତୁ ।
ଗୋଲକ ବିହାରୀ ନାଥ ଦେବ
ରଞ୍ଜନ
ସଭାପତି ସାଧାରଣ
ସମ୍ପାଦକ
Comments
Post a Comment