Skip to main content

ଜାମ୍ମୁ ଓ କାଶ୍ମୀର ରାଜ୍ୟ କଠୁଆ ଅଞ୍ଚଳର ଆଠ ବର୍ଷର ଝିଅର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଗାସର ନିନ୍ଦା 

ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶାଏଠାରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ କଠୁଆ ଅଞ୍ଚଳର ଆଠ ବର୍ଷର ଝିଅର ଗଣଦୁଷ୍କର୍ମ ଓ ହତ୍ୟାରେ ସମ୍ପୃକ୍ତ ଭାରତୀୟ ଜନତା ପାର୍ଟିର ସଦସ୍ୟ ଓ ସ୍ଥାନୀୟ ପୁଲିସଙ୍କୁ ସେଠାର ସରକାର ଯେଉଁଭଳି ସମର୍ଥନ ଦେଇଚାଲିଛନ୍ତି ତାହାର ଦୃଢ ନିନ୍ଦା କରୁଛି । ଏହା ଆମକୁ ପଚାଶ ଦଶକର ସେହି ହୃଦୟ ବିଦାରକ ଭାରତ ପାକିସ୍ତାନ ବିଭାଜନ ସମୟର ଚିତ୍ରକୁ ନେଇ ସଦତ ହସନ ମଣ୍ଟୋଙ୍କ ପ୍ରସିଦ୍ଧ ଗଳ୍ପ ଖୋଲ ଦୋକୁ ମନେ ପକାଇଦେଉଛି । ଏଭଳି ଅତ୍ୟନ୍ତ ଅମାନୁଷିକ ଓ ହୃଦୟବିଦାରକ ଘଟଣାକୁ ଚପାଇ ଦେବାଲାଗି ଯେଉଁ ଉଦ୍ୟମ କରାଯାଉଛି ତାହା ନା ଗଣତନ୍ତ୍ର ପାଇଁ ଶୁଭ ନା କାଶ୍ମୀର ସମସ୍ୟାର ସମାଧାନ ଦିଗରେ କୌଣସି ପ୍ରକାରରେ ସାହାଯ୍ୟ କରିବ । ବାଳିକା ଜଣକ ଜଣେ ଆଦିବାସୀ ଯାଯାବର ମୁସଲମାନ ସଂପ୍ରଦାୟର ଯାହାର ପିତାମାତା ଘୋଡା ଓ ଛେଳି ପାଳନ କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ହିନ୍ଦୁ ବହୁଳ ଜାମ୍ମୁ ଅଞ୍ଚଳରେ ଧର୍ମୀୟ ବିଦ୍ଵେଷ ହେତୁ ଅପରାଧୀମାନେ ଆଠ ବର୍ଷର ଝିଅକୁ ନିଜର ସହଜ ଲକ୍ଷ ମନେକରି ହିନ୍ଦୁ ମନ୍ଦିର ମଧ୍ୟରେ ସାତ ଦିନ କାଳ ଗଣଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରିବା କଦାପି ଏକ ସଭ୍ୟ ସମାଜର ଲକ୍ଷଣ ନୁହେଁ । ଦୁଃଖର କଥା ଯେ ନିଜେ କେନ୍ଦ୍ର ଓ ରାଜ୍ୟ ସରକାରୀ ସଦସ୍ୟମାନେ ଅପରାଧୀଙ୍କୁ ସୁରକ୍ଷା ଦେଇ ଚାଲିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ନିଜେ ବିଳମ୍ବରେ ବକ୍ତବ୍ୟ ଦେବା, ରାଜ୍ୟ ସରକାର ତିନି ମାସ ତଳର ଘଟଣା ହୋଇଥିଲେ ମଧ୍ୟ କୌଣସି ତଦନ୍ତ ନକରିବା, ରାଜ୍ୟ ବାର ଆସୋସିଏସନ ଅଭିଯୋଗକାରୀଙ୍କ ଓକିଲଙ୍କ ଉପରେ ଚାପ ସୃଷ୍ଟି କରିବା ଇତ୍ୟାଦି ଏକ ଗଣତାନ୍ତ୍ରିକ ବିଚାରର ବିରୋଧୀ ଅଟେ ।

ଏହା ପୂର୍ବରୁ ଉତ୍ତରପ୍ରଦେଶର ଉନ୍ନାଓ ଠାରେ ଶାସକ ବିଜେପି ଦଳର ଏମଏଲଏ ସଦସ୍ୟଙ୍କ ଭାଇ ଓ ତାଙ୍କ ଗୁଣ୍ଡା ବାହିନୀ ଦ୍ୱାରା ଝିଅକୁ ଦୁଷ୍କର୍ମ କରିବା ଓ ଅଭିଯୋଗ କରିବା ହେତୁ ତାଙ୍କର ପିତାଙ୍କୁ ଅତି ନିର୍ମମ ଭାବରେ ପୁଲିସର ସମ୍ମୁଖରେ ହସପିଟାଲରେ ମାଡ ମାରିବା ଯାହା ହେତୁ ପୁଲିସ ହାଜତରେ ତାଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ରାଜ୍ୟ ସରକାର କୌଣସି କାର୍ଯ୍ୟନୁଷ୍ଠାନ ନେଇନଥିଲେ । ପରେ ଆଲ୍ଲାହାବାଦ ହାଇକୋର୍ଟର ହସ୍ତକ୍ଷେପ ପରେ ବିଜେପି ଏମଏଲଏ ଓ ତାଙ୍କ ଭାଇଙ୍କୁ ଗିରଫ କରାଗଲା । 
ଏହା ପୂର୍ବରୁ ଓଡିଶାରେ କୋରାପୁଟ ଜିଲ୍ଲାରେ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ତଦନ୍ତକୁ ଠିକ ଭାବରେ କରାନଯିବା ହେତୁ ପୀଡ଼ିତା ଜଣକ ଆତ୍ମହତ୍ୟା କରିଥିଲେ । ଶାସନରେ ଥିବା ବ୍ୟକ୍ତିମାନଙ୍କ ବିପକ୍ଷରେ ଅଭିଯୋଗ ଆସିଲେ ଏହାର ତଦନ୍ତକୁ ଯେଉଁ ଭଳି ପ୍ରଭାବିତ କରାଯାଉଛି ଏ ଦିଗରେ ଦେଶର ଆଇନର ସଂଶୋଧନ ଜରୁରୀ । 

ଏଠାରେ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶାଦାବୀ କରେ କି
-
ଜାମ୍ମୁ ଓ କାଶ୍ମୀର ରାଜ୍ୟରେ କଠୁଆ, ଉତ୍ତର ପ୍ରଦେଶର ଉନ୍ନାଓ ତଥା ଓଡିଶାର କୁନ୍ଦୁଲି ଘଟଣାର ଉପଯୁକ୍ତ ତଦନ୍ତ ସହିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ ଓ ଏହାର ବିଚାର ଫାଷ୍ଟଟ୍ରାକ କୋର୍ଟରେ କରାଯାଉ । 
-
ଜାମ୍ମୁ ଓ କାଶ୍ମୀର ତଥା ଉତ୍ତରପ୍ରଦେଶ ଭଳି ଘଟଣା ଯେଉଁଠି ଏମପି ଓ ଏମଏଲଏ ଘଟଣାରେ ପରୋକ୍ଷ ଅଥବା ପ୍ରତ୍ୟକ୍ଷ ଭାବରେ ସମ୍ପୃକ୍ତ ସେମାନଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜ୍ଜୁ କରାଯାଉ । 
-
ଧାର୍ମିକ ବିଦ୍ଵେଷକାରୀ ହିନ୍ଦୁ ଏକତା ମଞ୍ଚର ସଦସ୍ୟଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉ । 
-
ଉଭୟ କେନ୍ଦ୍ର ଓ ଅନ୍ୟ ସମସ୍ତ ରାଜ୍ୟର ସରକାରୀ ସଦସ୍ୟମାନେ ଅପରାଧରେ ସମ୍ପୃକ୍ତ ରହିଲେ ଏହାର ତଦନ୍ତ ପାଇଁ ନିରପେକ୍ଷ ତଦନ୍ତ ସଂସ୍ଥା ଗଠନ କରାଯାଉ ।

ଗୋଲକ ବିହାରୀ ନାଥ
ସଭାପତି

Comments